ମୁମ୍ବାଇ: ମହାରାଷ୍ଟ୍ରରେ ଭାଷା ବିବାଦ ତୀବ୍ର ହେବାରେ ଲାଗିଛି । ଶିବସେନା (ୟୁବିଟି) ନେତା ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ଏହି ପ୍ରସଙ୍ଗରେ ବହୁ ବର୍ଷ ଧରି ଲଢ଼େଇ କରୁଛନ୍ତି । ସେମାନଙ୍କର ଲଢ଼େଇ ହିନ୍ଦୀ ଭାଷା ବିରୋଧରେ, କିନ୍ତୁ ମହାରାଷ୍ଟ୍ରରେ ଚାଲିଥିବା ଲଢ଼େଇର ଉଦ୍ଦେଶ୍ୟ ଭିନ୍ନ । 

ସେ କହିଛନ୍ତି, ‘ମୁଁ ହିନ୍ଦୀ କହେ, ପଢ଼େ ଏବଂ ଚିନ୍ତା କରେ । ଏଠାରେ ହିନ୍ଦୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଆମର ମତ ହେଉଛି ପ୍ରାଥମିକ ବିଦ୍ୟାଳୟରେ ହିନ୍ଦୀ ଭାଷା ବାଧ୍ୟାତାମୂଳକ ହେବା ଅନୁଚିତ । ଆମେ ତାହା ହେବାକୁ ଦେବୁ ନାହିଁ ଏବଂ ଆମର ଲଢ଼େଇ କେବଳ ଏତିକିରେ ସୀମିତ।’ ସେ ଆହୁରି କହିଛନ୍ତି ଯେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମହାରାଷ୍ଟ୍ରରେ ଆମର ରାଲିରୁ ପ୍ରେରଣା ନେବା ବିଷୟରେ କହିଛନ୍ତି, କିନ୍ତୁ ଏଠାରେ ପରିସ୍ଥିତି ଭିନ୍ନ । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ମହାରାଷ୍ଟ୍ରରେ ହିନ୍ଦୀ ଫିଲ୍ମ ଥିଏଟର ଚାଲିଥାଏ, ହିନ୍ଦୀ ଗୀତ ବାଜେ ଏବଂ ହିନ୍ଦୀ ଖବରକାଗଜ ମଧ୍ୟ ଛପାଯାଏ । ଏହାର ଅର୍ଥ ମହାରାଷ୍ଟ୍ରରେ ହିନ୍ଦୀକୁ କୌଣସି ବିରୋଧ ନାହିଁ ।




ଶିବସେନା (UBT) ନେତା ଏହା ମଧ୍ୟ କହିଛନ୍ତି ଯେ, ପ୍ରଥମ ଶ୍ରେଣୀରୁ ସ୍କୁଲରେ ହିନ୍ଦୀକୁ ତୃତୀୟ ଭାଷା ଭାବରେ ଲାଗୁ କରିବାର ନିଷ୍ପତ୍ତି ବିରୋଧରେ ମହାରାଷ୍ଟ୍ରର ଲଢ଼େଇ । ଏହା ଆମର ମାତୃଭାଷା ମରାଠୀ ପ୍ରତି ଅନ୍ୟାୟ। ସେ ସ୍ପଷ୍ଟ କରି କହିଛନ୍ତି, ‘ଆମେ ମରାଠୀକୁ ଦମନ କରିବାକୁ ଦେବୁ ନାହିଁ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ହିନ୍ଦୀକୁ ବିରୋଧ କରୁଛୁ ।’